☘️☘️🌸🌸🌼🙏🌼🌸🌸☘️☘️

☘️☘️🌸🌸🌼🙏🌼🌸🌸☘️☘️

 

 👉_*ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ*_👈 

   👉  _*🌻 *ପ୍ରକୃତ ପ୍ରତିନିଧି*🌻*_  👈 *◆━━━━━━━▣✦▣━━━━━━━━◆*

*ତାରିଖ :୧୮-୦୯-୨୦୨୦ (ଶୁକ୍ରବାର)**

*

*ଗଳ୍ପ କ୍ରମିକ ନମ୍ବର : ୧୪୪*

*

*ସଂଗ୍ରହ: ꧁༒💝ৡ ଜିତୁ ৡ💝༒꧂

 *◆━━━━━━━▣✦▣━━━━━━━━◆*

🌻☘️🌸🌼🙏✍️✒️✍️🙏🌼🌸☘️🌻



ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଏଣେ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁସାଇଁ ପବନ । ତା’ଉପରେ ପୁଣି ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ତୁମକୁ ଏତେ କଷ୍ଟ କରିବାକୁ କିଏ କହିଲା? ଏପରି ବି ଲୋକ ଅଛନ୍ତି ଯିଏ ନିଜ ପୁଅ ବା ଶିଷ୍ୟର ଶକ୍ତି ସାମର୍ଥ୍ୟ ଉପରେ ସନ୍ଦେହ କରେ । ଏହି ବିଷୟରେ ମୁଁ ତୁମକୁ ସତ୍ୟବାନ୍ଙ୍କ କଥା ଶୁଣାଇବି, ମନ ଦେଇ ତାହା ତୁମେ ଶୁଣ, ଶୁଣିଲେ ତୁମ ଶ୍ରମଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –


– ଚିତ୍ରଦୁର୍ଗ ନାମରେ ଏକ ଗ୍ରାମଟିଏ ଥିଲା । ସେଠାକାର ବାସିନ୍ଦାମାନଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗିଥାଏ । ଥରେ ସେ ଗ୍ରାମକୁ ସତ୍ୟବାନ୍ ନାମକ ଜଣେ ବ୍ୟକ୍ତି ଆସିଲେ । ସେ ଅଧାବୟସର ଲୋକ, ପୁଣି ଅତି ରୋଗା ଓ ଅସୁସ୍ଥ । ପାଖରେ ଯାଉଥିବା ଜଣେ ଲୋକକୁ ସେ ଡାକି ନିଜ କଥା କହିଲେ, କେଉଁଠି ରହିବାର ସୁବିଧା ହେବ ବୋଲି ପଚାରିବାରୁ ସେ ବ୍ୟକ୍ତିଟି କହିଲା, “କ୍ଷମା କର, ମୁଁ ଜଣେ ସାଧାରଣ ଗରିବ ଲୋକ, ମୁଁ ଏଠାରେ ସେଠାରେ କାମ କରି କିଛି ପଇସା କମାଏ, ରାତିରେ ଗଛତଳେ ଶୋଇଯାଏ । ତୁମେ ଏହି ଆଗରେ ଥିବା ରାସ୍ତାରେ ଚନ୍ଦ୍ରସେନାଙ୍କ ଘରକୁ ଯାଅ କିମ୍ବା ଆହୁରି ଆଗକୁ ଥିବା ଜଣେ ଧନୀ ସୂର୍ଯ୍ୟଦେବଙ୍କ ଘରକୁ ଯାଅ ।”


ଏଥୁଅନ୍ତେ ସତ୍ୟବାନ୍ ବହୁ କଷ୍ଟକରି ଗୋଟିଏ ବଡ ଘର ପାଖରେ ଯାଇ ପହଁଚି ତା’ର କବାଟ ବାଡେଇଲେ । ଘର ଖୋଲିବା ମାତ୍ରେ ସେ ପଚାରିଲେ, “କ’ଣ ଏହା ସୂର୍ଯ୍ୟଦେବଙ୍କ ଘର?” ଏକଥା ଶୁଣି ସେ ଗୃହକର୍ତ୍ତା ଲୋକଟି ହଠାତ୍ ଭୀଷଣଭାବେ ରାଗିଯାଇ କହିଲା, “ମୋ ନାମ ଚନ୍ଦ୍ରସେନା; ମୋ ଘରକୁ ଆସି ସୂର୍ଯ୍ୟଦେବର ନାମ କହିବାର କିଛି ବି ଅର୍ଥ ନାହିଁ । ତୁମେ ଏହି ଗାଁର ଲୋକ ନୁହଁ ବୋଲି ମୁଁ ଏଥର ତୁମକୁ କ୍ଷମା କରିଦେଲି । ଏବେ ତୁମେ ତୁମ ନିଜ ରାସ୍ତାରେ ଚାଲିଯାଅ ।”


ସତ୍ୟବାନ୍ ବହୁକଷ୍ଟ କରି ଅନୁନୟ ବିନୟ କରି ଚନ୍ଦ୍ରସେନାଙ୍କୁ ନିଜ ଦୁଃଖ କଥା ଶୁଣାଇବା ପରେ ସେ ଟିକିଏ ରହିବାକୁ ସ୍ଥାନ ମାଗିଲେ । କିନ୍ତୁ ଚନ୍ଦ୍ରସେନାଙ୍କର ରାଗ ଏବେ ସୁଧା ବି କମି ନଥାଏ, ଏଣୁ ସେ କହିଲେ, “ଦୁଇଟା ନାମ ମଧ୍ୟରୁ ତୁମେ ସୂର୍ଯ୍ୟଦେବର ନାମ ମନେରଖିଲ, ତେଣୁ ମୁଁ ତୁମକୁ କିଛି ହେଲେ ମଧ୍ୟ ସାହାଯ୍ୟ କରି ପାରିବି ନାହିଁ ।” ଏତିକି କହି ସେ ତାଙ୍କ ଘରର କବାଟ ସିଧା ବନ୍ଦ କରିଦେଲେ । ବିଚାରା ସତ୍ୟବାନ୍ ପୁଣି ରାସ୍ତା ପଚାରି ପଚାରି ଯାଇ ସୂର୍ଯ୍ୟଦେବଙ୍କ ଘରେ ପହଁଚି ତାଙ୍କୁ ସେ ନିଜ କଷ୍ଟକଥା କହିଲେ । ତହୁଁ ସୂର୍ଯ୍ୟଦେବ କହିଲେ, “ଏହି ଗ୍ରାମରେ ଯିଏ ପ୍ରଥମେ ଚନ୍ଦ୍ରସେନାର ଘରକୁ ଯାଏ ତାକୁ ଏଠାରେ କୌଣସି ବି ସ୍ଥାନ ମିଳେ ନାହିଁ ।”


ସତ୍ୟବାନ୍ ଏଥର ନିରୂପାୟ ହୋଇ ଅନ୍ୟ ଘର ମାନଙ୍କରେ ମଧ୍ୟ ଚେଷ୍ଟାକଲେ କିନ୍ତୁ ସେମାନେ କହିଲେ, “ଯାହାକୁ ଚନ୍ଦ୍ରସେନା ବା ସୂର୍ଯ୍ୟଦେବଙ୍କ ଘରେ ସ୍ଥାନ ମିଳିଲା ନାହିଁ, ତାକୁ ଆମ ଗ୍ରାମର ଅନ୍ୟ କେହି ବି ଆଶ୍ରୟ ଦେଇ ପାରିବ ନାହିଁ ।”


ସତ୍ୟବାନ୍ ଭାବିଲେ ଚିତ୍ରଦୁର୍ଗ ଗ୍ରାମ ଛାଡି ସେ ଅନ୍ୟ କେଉଁ ଗ୍ରାମକୁ ଯିବେ । ଅଧାବାଟରେ ବଡ ନିଃଶ୍ୱାସ କଷ୍ଟ ହେବାରୁ ସେ ଗଛମୂଳରେ ବସି ପଡି ଟିକେ ବିଶ୍ରାମ କଲେ । ସେ ଦେଖିଲେ ପ୍ରଥମ ବ୍ୟକ୍ତିଟି ଆସୁଛନ୍ତି । ତାଙ୍କୁ ଦେଖି ସେ କହିଲା, “ଭାଇ, ମୁଁ ଶୁଣିଲି ସୂର୍ଯ୍ୟଦେବ ବା ଚନ୍ଦ୍ରସେନା କେହି ବି ତୁମକୁ ସ୍ଥାନ ଦେଲେ ନାହିଁ, ଏଠାରେ ବସିଲେ ହୁଏତ କଥା ବଢିବ; ଯଦି ତୁମେ ନିହାତି ରୂପେ ବିଶ୍ରାମ କରିବାକୁ ଚାହଁ ତ ଗଛତଳେ ଯାଇ ବିଶ୍ରାମ କର ।”


ବିଚାରା ସତ୍ୟବାନ୍ ସେଠାରୁ ଉଠି କୌଣସି ମତେ ସେହି ଗଛମୂଳରେ ଯାଇ ପହଁଚିଲେ । ଚାରିଆଡେ ଛୋଟ ବୁଦା । ସେଇଠି ଟିକିଏ ସଫାକରି ଚାଦରଟି ପକାଇ ସେ ଗଡି ପଡିଲେ । ଇତିମଧ୍ୟରେ ବୁଦାମୂଳରୁ ନାଗ ସାପଟିଏ ବାହାରି ଚାଲି ଗଲା । ସେତେବେଳେ ସତ୍ୟବାନ୍ ଅତି କ୍ଳାନ୍ତ ହୋଇଥିବାରୁ ସେଠାରେ ସେ ଶୋଇପଡିଲେ ।


ସକାଳୁ ତାଙ୍କର ନିଦ ଭାଙ୍ଗିଲା ବେଳକୁ ଅଜଗର ସାପଟିଏ ତାଙ୍କ ଦେହରେ ଗୁଡେଇ ହୋଇଛି । ସତ୍ୟବାନ୍ ଟିକିଏ ଠେଲାଠେଲି କରିବାରୁ ସାପଟି ସେଠାରୁ ପଳାଇଲା । କିନ୍ତୁ ତା’ପରେ ସେ ଅନୁଭବ କଲେ ଯେ, ତାଙ୍କ ଦେହର କ୍ଳାନ୍ତି, କୁଆଡେ ଚାଲି ଯାଇଛି । ସେତେବେଳକୁ ତାଙ୍କୁ ବହୁତ ସୁସ୍ଥ ଲାଗୁଥାଏ; ଏଣୁ ସେ ଭାବିଲେ ଏହି ବୁଦାଜଙ୍ଗଲ ଭିତରେ କୌଣସି ଗଛରେ ନିଶ୍ଚୟ ଔଷଧୀୟ ଗୁଣ ଅଛି । ସେ ଚେଷ୍ଟାକରି ପରୀକ୍ଷା ନିରୀକ୍ଷା କରି ସେ ଗଛକୁ ଖୋଜି ବାହାର କଲେ ।


ଠିକ୍ ଏହି ସମୟରେ ଅଳ୍ପ ଦୂରରେ ଖୁବ୍ ପାଟିଗୋଳ ଶୁଣିବାକୁ ପାଇ ସେ ଜଙ୍ଗଲ ଭିତରୁ ବାହାରକୁ ଆସି ଦେଖିଲେ ଅନେକ ଲୋକ ରୁଣ୍ଡ ହୋଇଛନ୍ତି ଓ ଦୁଇଜଣ ଯୁବକ ବେହୋସ ହୋଇ ପଡିଛନ୍ତି ।


ପ୍ରକୃତ ଘଟଣା ହେଲା ଚନ୍ଦ୍ରସେନା ଓ ସୂର୍ଯ୍ୟଦେବଙ୍କ, ଦୁଇପୁଅ ନିଜନିଜ ମଧ୍ୟରେ ଝଗଡା କରି ମରାମରି ହୋଇ ପଡିଛନ୍ତି । ଏଣେ ତାଙ୍କ ଦୁଇବାପା ନିଜନିଜର ଲୋକ ଆଣି ପରସ୍ପରକୁ ଆକ୍ରମଣ କରିବାକୁ ଯାଉଛନ୍ତି ।


ସତ୍ୟବାନ୍ ଭିଡ ଠେଲି ତା’ ଭିତରେ ପଶି କହିଲେ, “ଏହି ଯୁବକ ଦୁଇଜଣଙ୍କର ପ୍ରାଣ ଏବେ ମଧ୍ୟ ରହିଛି । ତୁମେମାନେ ଏମାନଙ୍କ ଚିକିତ୍ସା ନକରି କାହିଁକି ମରାମରି ହେଉଛ? ବରଂ ମୁଁ ଏମାନଙ୍କର ଚିକିତ୍ସା କରେ ।”


ତାଙ୍କର ଏଭଳି କଥା ଶୁଣି ଅଚାନକ ଦୁଇପକ୍ଷ ନ


ିଜ ନିଜ ସ୍ଥାନରେ ଅଟକି ଯାଇ ଛିଡା ହୋଇଗଲେ । ସୂର୍ଯ୍ୟଦେବ ଓ ଚନ୍ଦ୍ରସେନା, ସତ୍ୟବାନ୍କୁ ଦେଖି ଚିହ୍ନିପକାଇ କହିଲେ, “ଗତକାଲି ତୁମେ ନିଜେ ପରା ରାଗରେ ମରିବାକୁ ବସିଥିଲ । ଯିଏ ନିଜ ଚିକିତ୍ସା ନିଜେ ନ କରି ପାରେ ସେ ପୁଣି ଅନ୍ୟର ଚିକିତ୍ସା କ’ଣ କରିବ?”


ଏହା ଶୁଣି ସତ୍ୟବାନ୍ କହିଲେ, “ତମେମାନେ ନିଜନିଜ ଭିତରେ ଝଗଡା କରିବାକୁ ଏତେ ସମୟ ଦେଉଛ ଯେ ନିଜ ଗ୍ରାମରେ ମହୌଷଧ ଗଛ ଯେ ରହିଛି ସେ କଥାର ଖବର ସୁଧା ରଖିନାହଁ । ମୁଁ ନିଜେ ଜଣେ ବୈଦ୍ୟ । କିନ୍ତୁ ଏପରି ଏକ ରୋଗରେ ମୁଁ ପୀଡିତ ଥିଲି ଯେ କେହି ବି ସେ ରୋଗ ଚିହ୍ନି ପାରିଲେ ନାହିଁ । ତେଣୁ ମୁଁ ମୋ ରୋଗର ଚିକିତ୍ସା ପାଇଁ ଘର ଛାଡି ହିମାଳୟ ଯାଉଥିଲି । କିନ୍ତୁ ଏହି ଜଙ୍ଗଲରେ ଏଭଳି ଅଦ୍ଭୁତ ଜଡିବୁଟିର ଗଛସବୁ ଅଛି ଯେ ମୁଁ ରାତିକ ଭିତରେ ପୁରା ଭଲ ହୋଇଗଲି । ଏହି ଔଷଧର ପ୍ରଭାବରେ ସର୍ପପରି ହିଂସ୍ର ପ୍ରାଣୀ ମଧ୍ୟ ସାତ୍ତ୍ଵିକ ସ୍ୱଭାବର ହୋଇ ପାରେ । ଏହାକୁ କେବଳ ଆଘ୍ରାଣ କଲେ ମରଣୋନ୍ମଖୀ ବ୍ୟକ୍ତି ତତ୍କ୍ଷଣାତ୍ ଜୀବନ ପାଇ ଉଠିବସିବ ।”


ସବୁକଥା ଶୁଣି ଚନ୍ଦ୍ରସେନା କହିଲେ “ଠିକ୍ ଅଛି ତାହେଲେ ତୁମେ ଚେଷ୍ଟାକରି ଦେଖ । କିନ୍ତୁ ଯଦି ତା’ର ପୁଅ ବଂଚିଯିବ ଓ ମୋର ପୁଅ ମରିଯିବ ତେବେ ମୁଁ ତୁମକୁ ଜୀବିତ କେବେବି ଛାଡିବି ନାହିଁ ।” ୟାଡେ ସୂର୍ଯ୍ୟଦେବ ମଧ୍ୟ ସେହି ଏକା କଥା କହିଲେ । ସେଥିରେ ସତ୍ୟବାନ୍ ଆଦୌ ବିଚଳିତ ନହୋଇ ସେ ଦୁଇ ଆହତ ଯୁବକଙ୍କର ଚିକିତ୍ସା ଆରମ୍ଭ କଲେ ।


କିଛି ସମୟ ମଧ୍ୟରେ ସେ ଦୁଇଯୁବକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଉଠିଲେ । ଏସବୁ ଦେଖି ସୂର୍ଯ୍ୟଦେବ ଓ ଚନ୍ଦ୍ରସେନା ଖୁବ୍ ଆଶ୍ଚର୍ଯ୍ୟ ଓ ଆନନ୍ଦ ହୋଇ ସତ୍ୟବାନକୁ ସେମାନଙ୍କ ଆତିଥ୍ୟ ସ୍ୱୀକାର କରିବାପାଇଁ ଅନୁରୋଧ କଲେ ।


“ଏହି ଗ୍ରାମ ମୋତେ ମୋର ସ୍ୱାସ୍ଥ୍ୟ ଫେରାଇ ଦେଇଛି । ମୁଁ ଏହି ଗ୍ରାମବାସୀଙ୍କର ଆତିଥ୍ୟ ସ୍ୱୀକାର କରୁଛି । ଆଜିଠାରୁ ଏଠାକାର ଲୋକଙ୍କୁ ଚିକିତ୍ସା କରିବା ମୋର ପରମ କର୍ତ୍ତବ୍ୟ ।” ସତ୍ୟବାନ୍ କେବଳ ବୈଦ୍ୟ ନୁହଁନ୍ତି, ସେ ମଧ୍ୟ ଜଣେ ମହାନ୍ ପଣ୍ଡିତ । ତେଣୁ ସେ ତାଙ୍କ ମନେ ମନେ ସ୍ଥିର କଲେ ଯେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଏଠାକାର ଲୋକଙ୍କ ମନ ଭିତରେ ଥିବା ରାଗ ଓ ଦ୍ୱେଷ ରୂପକ ରୋଗକୁ ଚିକିତ୍ସା କରିବା । ଏଣୁ ସେ ତାଙ୍କ ଦେହ ଓ ମନ ଦୁଇଟିକୁ ସୁସ୍ଥ ରଖିବାକୁ ଚେଷ୍ଟା କଲେ । ପ୍ରତିଦିନ ସେ ଗ୍ରାମବାସୀମାନଙ୍କୁ ଏକତ୍ର କରାଇ ନାନା ପ୍ରକାର ଆଧ୍ୟାତ୍ମିକ ବିଷୟରେ ବୁଝାଉଥିଲେ ଓ ପ୍ରାଚୀନ ଗ୍ରନ୍ଥ ଓ ପୁରାଣମାନଙ୍କରୁ ସୁନ୍ଦର ସୁନ୍ଦର ଗଳ୍ପ କହି ସେମାନଙ୍କର ମନୋରଞ୍ଜନ କରୁଥିଲେ । ଏହିପରି ଭାବେ ଧୀରେଧୀରେ ସେଠାକାର ଲୋକଙ୍କ ମନରୁ ଖରାପ ବୁଦ୍ଧି ସବୁ ଲୁପ୍ତ ହେଲା । ଫଳରେ ସେମାନଙ୍କର ସଦ୍ଗୁଣ ବିକାଶ ଲାଭ କଲା । କ୍ରମେ ସତ୍ୟବାନ୍ଙ୍କ ଖ୍ୟାତି ଆଖପାଖ ଗ୍ରାମରେ ମଧ୍ୟ ବିସ୍ତାର ଲାଭ କଲା । ଏବେ ସେ ତାଙ୍କ ମନେ ମନେ ଭାବିଲେ ନିଜ ଗ୍ରାମକୁ ଫେରିଯିବେ ।


କିନ୍ତୁ ସେହି ସମୟରେ ଲୋକମାନେ ତାଙ୍କ ଦ୍ୱାରା ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ସେମାନେ ତାଙ୍କୁ ମୋଟେ ଛାଡୁ ନଥିଲେ । ସତ୍ୟବାନ୍ କିଛିସମୟ ପାଇଁ ଚିନ୍ତା କରି କହିଲେ, “ମୋର ଅନ୍ୟାନ୍ୟ ବହୁତ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତେଣୁ ମୁଁ ଆଉ ଏଠାରେ ଆଦୌ ରହି ପାରିବି ନାହିଁ । ମୁଁ ଏଠାରୁ ଯାଇ ମୋର ଜଣେ ଶିଷ୍ୟକୁ ଏଠାକୁ ନିଶ୍ଚୟ ପଠାଇବି, ତାକୁ ଆପଣମାନେ ଏଠିକା ମୁଖିଆ ବନାଇବେ । ତାହାରି ଦ୍ୱାରା ମୁଁ ଆପଣମାନଙ୍କ ସହ ସମ୍ପର୍କ ରଖିବି ।”


ତା’ପରେ ସତ୍ୟବାନ୍ ନିଜ ଗ୍ରାମକୁ ଫେରିଗଲେ ଓ ସେ ଗ୍ରାମର ମୁଖିଆ ହେବାକୁ ସେ ତାଙ୍କ ପୁତ୍ର ସତ୍ୟଶୀଳକୁ ଶିକ୍ଷା ଦେଲେ । କିନ୍ତୁ ସତ୍ୟଶୀଳ ଏତେ ସହଜରେ ସେସବୁ ଜ୍ଞାନ ଅର୍ଜ୍ଜନ କରି ପାରୁନଥାଏ । ଶିକ୍ଷା ସମାପ୍ତ କରିବାକୁ ତାଙ୍କୁ ସମ୍ପୂର୍ଣ୍ଣ ପାଂଚବର୍ଷ ଲାଗିଗଲା । ପାଂଚବର୍ଷ ପରେ ଦିନେ ସତ୍ୟବାନ୍ ତାଙ୍କ ପୁତ୍ର ସତ୍ୟଶୀଳକୁ କହିଲେ, “ତୁମେ ଏବେ ଏହି ଚିଠିଟିଏ ନେଇ ଚିତ୍ରଦୁର୍ଗ ଗ୍ରାମକୁ ଯାଅ । ଏହି ଚିଠିଯୋଗୁଁ ସେମାନେ ତୁମକୁ ତାଙ୍କ ଗ୍ରାମର ମୁଖିଆ କରି ନେବେ ।”


ସତ୍ୟଶୀଳ ଚିତ୍ରଦୁର୍ଗ ଗ୍ରାମରେ ଯାଇ ପହଁଚି ଦେଖିଲେ ଯେ ସେଠାରେ ଗୁଣନାଥ ନାମକ ଜଣେ ବ୍ୟକ୍ତି ନିଜକୁ ସତ୍ୟବାନ୍ଙ୍କର ପ୍ରତିନିଧି ବୋଲି କହି ମୁଖିଆ ହୋଇ ବସିଛି । ସତ୍ୟଶୀଳ ତାଙ୍କ ପିତାଙ୍କର ପତ୍ର ସହିତ ଚନ୍ଦ୍ରସେନାଙ୍କ ଘରକୁ ଯାଇ ତାଙ୍କୁ ସବୁକଥା କହିଲେ । ଏହି କଥାରେ ଚନ୍ଦ୍ରସେନା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଗୁଣନାଥଙ୍କ ପାଖରେ ଆସି ପହଁଚିଲେ ।


ଚନ୍ଦ୍ରସେନାଙ୍କ ସବୁକଥା ଶୁଣି ଗୁଣନାଥ ତିଳେ ମଧ୍ୟ ବିଚଳିତ ନ ହୋଇ କହିଲେ, “ମୁଁ ତ ସତ୍ୟବାନ୍ଙ୍କ ପ୍ରତିନିଧି ।”


ଏହା ଶୁଣି ସତ୍ୟଶୀଳ ରାଗିଯାଇ କହିଲେ, “ଆଶ୍ଚର୍ଯ୍ୟ କଥା ତ । ନିଜ ପଦକୁ ଛାଡିବା ପାଇଁ ଏତେ ମିଛ?” ଏଥର କେତେକ ଲୋକ ଗୁଣନାଥଙ୍କ ସପକ୍ଷରେ ଓ ଆଉ କେତେକ ସତ୍ୟଶୀଳଙ୍କ ସପକ୍ଷରେ ରହିଲେ । ଝଗଡା ଓ ଅଶାନ୍ତି ମଧ୍ୟରେ କିଛିଦିନ ବିତିଗଲା; ଦିନେ ସତ୍ୟଶୀଳ ଚନ୍ଦ୍ରସେନାଙ୍କୁ କହିଲେ, “ଏମିତି ଆଉ କେତେ ଦିନ ଚାଲିବ । ଆପଣ ବରଂ ମୋ ବାପାଙ୍କୁ ଡାକି ଆଣନ୍ତୁ । ତେବେ ଯାଇ ସବୁକିଛି ପରିଷ୍କାର ହୋଇଯିବ ।”


ଖବର ପାଇ ସତ୍ୟବାନ୍ ସେହି ଗ୍ରାମକୁ ଆସିଲେ ଓ ଗୁଣନାଥଙ୍କ ସହ ଏକାନ୍ତରେ ସେ କିଛି ସମୟ କଥାବାର୍ତ୍ତା କଲେ । ଗୁଣନାଥ ବଡ ନମ୍ରତା ସହକାରେ କହିଲେ, “ମହାଶୟ ମୁଁ ଏଠାକୁ ପଦମର୍ଯ୍ୟଦାର ମୋହ ଯୋଗୁଁ ଆସିନାହିଁ । ଆପଣ ଯିବା ପରେ ଏଠାରେ ପୁଣି ଝଗଡା ଆରମ୍ଭ ହେଲା । ଏଠାରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ମୋର ଜଣେ ମିତ୍ର ମୋତେ ଏଠାକୁ ଡାକି ଆଣିଲେ, କେବଳ ସେଇଥିପାଇଁ ମୁଁ ଏଠାକୁ ଆସିଥିଲି । ଆପଣଙ୍କ ଆଦର୍ଶକୁ ଅନୁକରଣ କରି ମୁଁ ଏଠାରେ ମୁଖିଆ ହୋଇ ମୋ ଦାୟିତ୍ୱ ଚଳାଇଲି । ଏହାକୁ ଏକ ଆଦର୍ଶ ଗ୍ରାମ କରିବାରେ ମୁଁ ସେଥିରେ ସଫଳ ମଧ୍ୟ ହେଲି । ଆପଣଙ୍କ ପୁଅ ପ୍ରଥମେ ମୋ ପାଖକୁ ନଆସି ଚନ୍ଦ୍ରସେନା ପାଖକୁ ଯିବାରୁ ମୁଁ ଖୁବ୍ ରାଗିଗଲି ଓ ଅସୁବିଧା ପରିସ୍ଥିତିରୁ ନିଜକୁ ବଂଚାଇବାକୁ ଯାଇ ଏପରି ସବୁ ମିଛକଥା ମୁଁ କହିଲି । ମୁଁ ବି ଚାହୁଁଥିଲି ଯେ ଆପଣ ଆସିଲେ ଭାରି ଭଲ ହୁଅନ୍ତା । ଆପଣଙ୍କ ଦର୍ଶନ ପାଇଲି । ଏବେ ଏଥିରୁ ମୋତେ ଉଦ୍ଧାର


କରନ୍ତୁ ।”


ସତ୍ୟବାନ୍ ବାହାରେ ଘୋଷଣା କଲେ କି ଗୁଣନାଥ ହିଁ ତାଙ୍କର ପ୍ରକୃତ ପ୍ରତିନିଧି । ତା’ପରେ ସେ ତାଙ୍କ ପୁଅକୁ ନେଇ ନିଜ ଗ୍ରାମକୁ ଫେରିଗଲେ ।


        ବେତାଳ ତା’ କାହାଣୀଟି ଗପିସାରି ଦୃଢକଣ୍ଠରେ ପ୍ରଶ୍ନକଲା, ‘ରାଜନ୍’ ସତ୍ୟବାନ୍ର ବ୍ୟବହାର କ’ଣ ତୁମକୁ ଆଶ୍ଚର୍ଯ୍ୟ ଲାଗୁନାହିଁ? ସତ୍ୟଶୀଳ ଗ୍ରାମ ମୁଖିଆ ହେବାକୁ କେବେବି ଭାବି ନଥିଲା; ସେ ନିଜେ ତା ମୁଣ୍ଡରେ ସେସବୁ କଥା ପୁରାଇଲେ, ଶିକ୍ଷା ଦେଇ ତାକୁ ପ୍ରସ୍ତୁତ କଲେ ଓ ପରେ ସମସ୍ତିଙ୍କ ସାମ୍ନାରେ ଏପରି ଘୋଷଣା କରିବାଟା କ’ଣ ଭଲ ହେଲା? ଏହା ମାନସିକ ଦୁର୍ବଳତା ନା ପୁତ୍ର ବିରୁଦ୍ଧରେ ଲୁକ୍କାୟିତ କ୍ରୋଧ? ଏସବୁ କଥା ମୋତେ ପରିଷ୍କାର କରି କୁହ । ମୋ ପ୍ରଶ୍ନର ଉତ୍ତର ଜାଣି ଯଦି ତମେ ନୀରବ ରହିବ ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।


        ରାଜା ବିକ୍ରମ କହିଲେ, “ବେତାଳ, ସତ୍ୟବାନ୍ ତ ସତ୍ୟଶୀଳର କାହିଁ କୌଣସି ବି ଅବମାନନା କରିନାହାଁନ୍ତି । ବରଂ ଏହା ଥିଲା ତା’ପାଇଁ ଏକ ଶିକ୍ଷା । ଯଦି ଗୁଣନାଥ ତାଙ୍କର ପ୍ରତିକ୍ରିୟା ପରେ ଗ୍ରାମର ପୁରା ସେବା କରୁଛି ତେବେ ତାକୁ ସେଇଥିରେ ଛାଡିଦେବା ଉଚିତ୍ । କିନ୍ତୁ ସତ୍ୟଶୀଳର ଝଗଡା ପ୍ରକୃତି ଯୋଗୁଁ ତା’ର ମୁଖିଆ ହେବାର କୌଣସି ଯୋଗ୍ୟତା ନାହିଁ ସେକଥା ପ୍ରମାଣ ହୋଇଗଲା । କିନ୍ତୁ ଗୁଣନାଥ ପ୍ରକୃତରେ ସତ୍ୟବାନଙ୍କ ଆଦର୍ଶରେହିଁ କାମ କରୁଛି । ସେ ଗ୍ରାମର ମଙ୍ଗଳ ପାଇଁ ଗୁଣନାଥଙ୍କ ଯୋଗ୍ୟତା ବେଶି । ତେଣୁ ସତ୍ୟବାନ୍ ଗୁଣନାଥଙ୍କୁ ନିଜର ପ୍ରତିନିଧି ଭାବେ ସ୍ୱୀକାର କରି, ତଥା ଘୋଷଣା କରି, ପୁଅକୁ ନେଇ ସେଠାରୁ ଫେରିଗଲେ ।”


        ଏଭଳି ଉତ୍ତର ଦେବାରୁ ରାଜାଙ୍କର ମୌନଭଙ୍ଗ ହେଲା । ପୂର୍ବସର୍ତ୍ତ ଅନୁସାରେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନଶ୍ଚ ପୂର୍ବୋକ୍ତ ଡାଳରେ ଯାଇ ଝୁଲି ପଡିଲା ।


_*ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।*_

*(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)*

=============================

*☘🌸🌼🙏ଶୁଭ ରାତ୍ରୀ🙏🌼🌸☘*

=============================



Report Page